ନୂଆଦିଲ୍ଲୀ,୧୮/୦୩: ଦିଲ୍ଲୀର ପାଲାମ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ିଛି । ଏହା ବ୍ୟତୀତ ଏହି ଅଗ୍ନିକାଣ୍ଡରେ ଅନ୍ୟ କିଛି ଜଣ ଗୁରୁତର ଭାବେ ଜଳି ଯାଇଥିବା ସୂଚନା ମିଳୁଛି । ଅଗ୍ନିକାଣ୍ଡ ଏତେ ବଡ଼ ଥିଲା ଯେ ଏହାକୁ ଆୟତ୍ତ କରିବ ପାଇଁ ଦମକଳର ୩୦ ଗାଡ଼ି ନିୟୋଜିତ କରାଯାଇଥିଲା । ଉଦ୍ଧାରକାରୀ ଦଳ ବିଲ୍ଡିଂ ଭିତରୁ ୧୦ ଜଣଙ୍କୁ ବାହାର କରିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବିଲ୍ଡିଂରେ ପ୍ରାୟ ୨୨ ଲୋକଙ୍କ ପରିବାର ରହୁଥିଲେ । ସେମାନଙ୍କ ମଧ୍ୟରୁ ୧୦ରୁ ୧୨ ଜଣ ଗୋଆ ବୁଲିବାକୁ ଯାଇଥିବା ବେଳେ ଅନ୍ୟମାନେ ବିଲ୍ଡିଂରେ ରହିଥିଲେ । ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଘଟଣାଟି ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଜଣାପଡ଼ିଛି । ଘର ବାହାରେ ଏକ ଇଲେକ୍ଟ୍ରିକ୍ କାର ଚାର୍ଜ ହେଉଥିଲା, ଯାହା ଫଳରେ ସର୍ଟ ସର୍କିଟ ହୋଇ ତିନି ମହଲା ଘରଟି ସମ୍ପୂର୍ଣ୍ଣ ଜଳିଗଲା।