ଭୁବନେଶ୍ୱର,୧୬/୦୩: ଦେଶର ୧୦ଟି ରାଜ୍ୟର ୩୭ଟି ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ଓଡ଼ିଶା, ବିହାର ଏବଂ ହରିୟାଣାକୁ ନେଇ । ଏଠାରେ କେବଳ ସଂଖ୍ୟାବଳର ଲଢ଼େଇ ଚାଲିନି ବରଂ ଚାଲିଛି ରାଜନୈତିକ ଛକାପଞ୍ଝା ଓ ଘୋଡ଼ାବେପାର ଖେଳ । ଏହାରି ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀଙ୍କ ପାଇଁ ଭୋଟ କିଣିବା ଉଦ୍ଦେଶ୍ୟରେ ଚାରି ଜଣ ବ୍ୟକ୍ତି ବେଙ୍ଗାଲୁରୁରେ ବିଧାୟକଙ୍କୁ ବ୍ଲାଙ୍କ ଚେକ୍ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଧରାପଡ଼ିଥିବା ଖବର ମିଳିଛି। ମୁଁ ଗତ କିଛି ଦିନ ଧରି ଲଗାତାର ଭାବେ କହି ଆସୁଥିଲି ଯେ ଓଡ଼ିଶାର ଅନ୍ୟ ଦଳର ବିଧାୟକଙ୍କୁ ନିଜ ସପକ୍ଷକୁ ନେବାକୁ ଘୋଡ଼ା ବେପାର ଭଳି କାର୍ଯ୍ୟରେ ବିଜେପି ଲିପ୍ତ ରହିଛି। ବେଙ୍ଗାଲୁରୁରେ ହୋଇଥିବା ଏହି ଗିରଫଦାରୀ ଏହାର ବଡ଼ ପ୍ରମାଣ । ଓଡ଼ିଶାର ଲୋକେ ସବୁ ଦେଖୁଛନ୍ତି ଏବଂ ଏହାକୁ ନିଶ୍ଚୟ ମନେ ରଖିବେ।