ନୂଆଦିଲ୍ଲୀ,୧୫/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶକୁ ଅଶୋଧିତ ତେଲ, ଏଲ୍ପିଜି ଆମଦାନୀ ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଶନିବାର ଏଲ୍ପିଜି ଯୋଗାଣ ସମେତ ପେଟ୍ରୋଲ୍, ଡିଜେଲ୍ ବିକ୍ରି ଉପରେ କେତେକ କଟକଣା ଲଗାଇଛି। ଘରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ( ପିଏନ୍ଜି) ଥିଲେ ଲୋକମାନେ ଏଲ୍ପିଜି ରଖିପାରିବେ ନାହିଁ। ପିଏନ୍ଜି ସଂଯୋଗ ଥିବା ବ୍ୟକ୍ତିମାନେ ସରକାରୀ କମ୍ପାନି ବିତରକଙ୍କ ଜରିଆରେ କୌଣସି ଘରୋଇ ଏଲ୍ପିଜି ସଂଯୋଗ ପାଇପାରିବେ ନାହିଁ। ପିଏନ୍ଜି ଥିଲେ ଘରୋଇ ଏଲ୍ପିଜି ସଂଯୋଗକୁ ସରେଣ୍ଡର୍ କରିବା ପାଇଁ କୁହାଯାଇଛି। ଏଥିସହିତ ଦେଶବ୍ୟାପୀ ପେଟ୍ରୋଲ୍ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ମାତ୍ରାରେ ପେଟ୍ରୋଲ୍, ଡିଜେଲ୍ ଉପଲବ୍ଧ ଥିବା କୁହାଯାଇଛି। ପେଟ୍ରୋଲ୍, ଡିଜେଲ୍ ବିକ୍ରି ନେଇ ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରାଯାଇଛି। ସେଥିରେ ପେଟ୍ରୋଲ୍ ଓ ଡିଜେଲ୍କୁ ଅନୁପଯୁକ୍ତ ପାତ୍ରରେ ନେଇ ଘରେ ମହଜୁଦ ନ ରଖିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଲୋକଙ୍କ ଏଭଳି ଅଭ୍ୟାସ ଗୁରୁତର ବିପଦ ସୃଷ୍ଟି କରିବ। ପେଟ୍ରୋଲ୍, ଡିଜେଲ୍ ବିକ୍ରି ସମୟରେ ପେଟ୍ରୋଲ୍ ପମ୍ପଗୁଡ଼ିକ ସୁରକ୍ଷା ମାର୍ଗଦର୍ଶିକାକୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଧାର୍ଯ୍ୟ ସୁରକ୍ଷା ନିୟମକୁ ଉଲ୍ଲଂଘନ କଲେ ପେଟ୍ରୋଲ୍ ପମ୍ପଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।