ଭୁବନେଶ୍ୱର, ୧୪/୦୩: ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ଶ୍ରୀମନ୍ଦିରର ନୀତି ପ୍ରାୟ ଚାରି ଘଣ୍ଟା ବିଳମ୍ବିତ ହୋଇଥିଲା। ଏହା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ଘଟଣା ସମୟରେ କର୍ତ୍ତବ୍ୟରତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।
ସଂପୃକ୍ତ ସେବକମାନଙ୍କ ଉତ୍ତର ଓ ପ୍ରଶାସନର ଅଧିକାରୀ-କର୍ମଚାରୀଙ୍କ ପକ୍ଷ ଶୁଣିବା ପରେ ରାମକୃଷ୍ଣ ଖୁଣ୍ଟିଆଙ୍କୁ ତିନି ମାସ ପାଇଁ ନିଲମ୍ବନ କରାଯାଇଛି। ଏହି ଅବଧି ମଧ୍ୟରେ ସେ ଶ୍ରୀମନ୍ଦିରର କୌଣସି ସେବା-ପୂଜାରେ ସାମିଲ ହୋଇପାରିବେ ନାହିଁ। ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ସର୍ତ୍ତସହ କ୍ଷମା କରାଯାଇଥିବା ବେଳେ ଭବିଷ୍ୟତରେ ଏପରି ଆଚରଣ ପୁନରାବୃତ୍ତି ହେଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।