ଗୋଟିଏ ସୁଯୋଗ ଦେଲେ ଆମେ ପଞ୍ଜାବରେ ପରିବର୍ତ୍ତନ ଆଣିବୁ : ଅମିତ ଶାହ

ନୂଆଦିଲ୍ଲୀ,୧୪/୦୩: ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପି ଏବେଠାରୁ ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଏଠାରେ ପ୍ରଚାର ଅଭିଯାନ ଆରମ୍ଭ କରି ଲୋକମାନଙ୍କୁ ୨୦୨୭ ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାକୁ ଆଣିବାକୁ ନିବେଦନ କରିଛନ୍ତି । ଶାହ କହିଛନ୍ତି, ଯଦି ପଞ୍ଜାବକୁ କେହି ନିଶାମୁକ୍ତ କରିପାରନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ । ଆଜି ପଞ୍ଜାବ ଋଣଗ୍ରସ୍ତ, ଡ୍ରଗ୍ସ, ଧର୍ମାନ୍ତରୀକରଣ, ଦୁର୍ନୀତି ଓ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କରେ ପୀଡ଼ିତ। ମୋଗାର କିଲି ଚାହଲାନ୍‌ ଗାଁରେ ‘ପରିବର୍ତ୍ତନ’ ରାଲିକୁ ସମ୍ବୋଧିତ କରି ଶାହ କହିଛନ୍ତି, ପଞ୍ଜାବର ଲୋକମାନେ କଂଗ୍ରେସ ପାର୍ଟି, ଅକାଳି ଦଳ ଓ ଆମ ଆଦମୀ ପାର୍ଟିକୁ ଅନେକ ସୁଯୋଗ ଦେଇଛନ୍ତି । ଏବେ ସେମାନେ ବିଜେପିକୁ ଗୋଟିଏ ସୁଯୋଗ ଦେବେ କି ? ଆମେ ପଞ୍ଜାବରେ ପରିବର୍ତ୍ତନ ଆଣିବୁ। ଶାହ କହିଛନ୍ତି, ଭଗବନ୍ତ ମାନଙ୍କ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ଏହା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ‘ଏଟିଏମ୍‌’ରେ ପରିଣତ ହୋଇଛି ।

 

Leave a Reply

Your email address will not be published. Required fields are marked *