ଭୁବନେଶ୍ୱର,୧୨/୦୩: ଅମାନିଆ ଗାଡ଼ି ଚାଳକ ସାବଧାନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ ମାର୍ଚ୍ଚ ୨୧ରୁ ପରିବହନ ବିଭାଗ ଆରମ୍ଭ କରିବ ସ୍ୱତନ୍ତ୍ର ଅଭିଯାନ। ସାରା ରାଜ୍ୟରେ କଡ଼ାକଡ଼ି ହେବ ଯାଞ୍ଚ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆରଟିଓଙ୍କୁ ଏସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ମାର୍ଚ୍ଚ ୨୧ ରୁ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ ଚାଲିବ ।ବିଭିନ୍ନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁର ଅନୁସନ୍ଧାନ ଓ ତଥ୍ୟରୁ ଏହା ସ୍ପଷ୍ଟ ହେଉଛି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି ।