ଏଲ୍‌ପିଜି ଅଭାବରୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ରୋଷେଇ ବନ୍ଦ

ନୂଆଦିଲ୍ଲୀ,୧୧/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଏଲ୍‌ପିଜି ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଗ୍ୟାସକୁ ନେଇ ଜରୁରୀ ପରିସ୍ଥିତି ଦେଖାଦେଇଛି। ଲୋକମାନେ ଗ୍ୟାସ୍‌ ପାଇବାକୁ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍‌ ଲଗାଉଛନ୍ତି। ଉତ୍ତରପ୍ରଦେଶରେ  ବୁକିଂର ୪-୫ ଦିନ ପରେ ମଧ୍ୟ ଗ୍ୟାସ୍‌ ମିଳୁନି। ଗୋରଖପୁର-ସିଦ୍ଧାର୍ଥନଗରରେ ପୁଲିସ ଉପସ୍ଥିତିରେ ଲୋକମାନଙ୍କୁ ଗ୍ୟାସ୍‌ ସିଲିଣ୍ଡର ବଣ୍ଟାଯାଇଥିଲା। ‌ଅଯୋଧ୍ୟାରେ ଏଲ୍‌ପିଜି ଅଭାବରୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ରୋଷେଇ ବନ୍ଦ କରିଦିଆଯାଇଛି। ଗତ ଆଠ ବର୍ଷ ଭିତରେ ରୋଷେଇ ବନ୍ଦ କରାଯିବାର ଏହା ପ୍ରଥମ ଘଟଣା। ଏପଟେ ଦିଲ୍ଲୀ ହାଇକୋର୍ଟ କ୍ୟାଣ୍ଟିନରେ ଏଲ୍‌ପିଜି ନଥିବାରୁ ମୁଖ୍ୟ ଖାଦ୍ୟ ପ୍ରସ୍ତୁତି ବନ୍ଦ ହୋଇଛି। ଗ୍ୟାସ୍‌ ସିଲିଣ୍ଡର ନଥିବାରୁ ଭୋଜନ ଦିଆଯାଇପାରିବ ନାହିଁ ବୋଲି କ୍ୟାଣ୍ଟିନ କର୍ତ୍ତୃପକ୍ଷ କହିଛନ୍ତି।