ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ପରେ ଭାରତୀୟ ଦଳକୁ ପୁରସ୍କୃତ କରିବ ବିସିସିଆଇ, ମିଳିବ ୧୩୧ କୋଟି..

ନୂଆଦିଲ୍ଲୀ,୧୦/୦୩: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ପରେ ଭାରତୀୟ ଦଳକୁ ପୁରସ୍କୃତ କରିବ ବିସିସିଆଇ । ଦଳକୁ ମୋଟ ୧୩୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏହି ରାଶିକୁ ଭାରତୀୟ ଦଳ, ପ୍ରଶିକ୍ଷଣ ଦଳ, ସହାୟକ କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏବେ ଏପର୍ଯ୍ୟନ୍ତ ଏହା ବୋର୍ଡ ପକ୍ଷରୁ ପ୍ରଦାନ କରାଯାଇଥିବା ସର୍ବାଧିକ ଆର୍ଥିକ ପୁରସ୍କାର । ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଦଳକୁ ବିସିସିଆଇ ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଥିଲା । ଗତ ବର୍ଷ ଦିନିକିଆ ବିଶ୍ୱକପ୍‌ ଜିତିଥିବା ଭାରତୀୟ ମହି​ଳା କ୍ରିକେଟ୍‌ ଦଳକୁ ବୋର୍ଡ ପକ୍ଷରୁ ୫୧ କୋଟି ଟଙ୍କା ଓ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ବରିଷ୍ଠ ପୁରୁଷ ଦଳକୁ ୫୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ବିସିସିଆଇ ବାର୍ଷିକ ପୁରସ୍କାର ସମାରୋହରେ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳକୁ ପୁରସ୍କୃତ କରାଯିବ । ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ଆଇସିସି ଟ୍ରଫି ଜିତି ଥିବା ଭାରତୀୟ ବରିଷ୍ଠ ମହିଳା ଦଳ, ୧୯ବର୍ଷରୁ କମ ପୁରୁଷ ଓ ମହିଳା ଦଳକୁ ମଧ୍ୟ ପୁରସ୍କୃତ କରାଯିବ । ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଏହି ପୁରସ୍କାର ସମାରୋହରେ ବିଭିନ୍ନ ଫର୍ମାଟ୍‌ ଓ ବୟସ ଶ୍ରେଣୀରେ ଆଇସିସି ଟ୍ରଫି ଜିତିଥିବା ଭାରତୀୟ ଦଳର ସମସ୍ତ ସଦସ୍ୟ, ପ୍ରଶିକ୍ଷକ ଓ ସହାୟତା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ ।

Leave a Reply

Your email address will not be published. Required fields are marked *