ଯୁଦ୍ଧ ଯୋଗୁ ପାକିସ୍ତାନ ଉପରେ ପ୍ରଭାବ, ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ଘୋଷଣା

ନୂଆଦିଲ୍ଲୀ,୧୦/୦୩: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ଼ ବିପର୍ଯ୍ୟୟ ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି। ତେଲ ଏବଂ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି। ତେଲ ଅଭାବବରୁ ସରକାର ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସରିଫ ଏହି ନିଷ୍ପତ୍ତିକୁ କଠୋର ବୋଲି କହିଛନ୍ତି। ସେ କହିଛନ୍ତି ଆମେ ମୂଲ୍ୟ ବୃଦ୍ଧିକୁ ଏଡାଇବାକୁ ଚାହୁଁଛୁ। କାରଣ ଏହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ। ଏକ ଟେଲିଭିଜନ ଭାଷଣରେ ସେ କହିଛନ୍ତି ଏଭଳି ପଦକ୍ଷେପଗୁଡ଼ିକ ଆବଶ୍ୟକ। ସେ ଚେତାବନୀ ଦେଇଛନ୍ତି, ଶକ୍ତି ସଙ୍କଟ ଏବେ ଏକ ନୂଆ ସମସ୍ୟାରେ ପରିଣତ ହୋଇଛି। ପରିସ୍ଥିତିକୁ ଅଧିକ ଖରାପ ହେବାରୁ ରୋକିବା ପାଇଁ ମନ୍ତ୍ରୀମାନେ ଅନେକ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କ ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ କେବଳ ଚାରି ଦିନ କାମ କରିବ। ଅଧା କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଦୁଇ ସପ୍ତାହ ପରେ, ଅନଲାଇନ୍‌ରେ କ୍ଲାସ୍ କରାଯିବ। ଆମ୍ବୁଲାନ୍ସ ବ୍ୟତୀତ ସରକାରୀ ଯାନବାହାନ ପାଇଁ ଇନ୍ଧନ ଭତ୍ତା ଆଗାମୀ ଦୁଇ ମାସ ପାଇଁ ୫୦ ପ୍ରତିଶତ ହ୍ରାସ କରାଯାଇଛି।

Leave a Reply

Your email address will not be published. Required fields are marked *