ନୂଆଦିଲ୍ଲୀ,୦୮/୦୩: ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପରର ଅର୍ଥନୀତିର ମେରୁଦଣ୍ଡ ବୋଲି ବିବେଚିତ ତୈଳ ଘାଟିଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏହି ପ୍ରବଳ ବୋମା ମାଡ଼ ମଧ୍ୟପ୍ରାଚ୍ୟରେ ବଡ଼ ଧ୍ୱଂସ ଘଟାଇବା ସହିତ ସମଗ୍ର ବିଶ୍ୱର ଚିନ୍ତାକୁ ବୃଦ୍ଧି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଆମେ ପରିସ୍ଥିତିକୁ ନର୍କଠାରୁ ମଧ୍ୟ ଖରାପ କରିଦେବୁ। ଏହି ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଇସ୍ରାଏଲ ଦାବି କରିଛି, ଆମେ ଇରାନରେ ଏକ ବଡ଼ ବିଜୟର ନିକଟତର ହୋଇଛୁ। ଶନିବାର ବିଳମ୍ବିତ ରାତିରୁ, ଇରାନ ଓ ଇସ୍ରାଏଲ ପରସ୍ପରର ଗୁରୁତ୍ୱପୂର୍ଣ୍ଣ ତୈଳ ପ୍ରତିଷ୍ଠାନ ଏବଂ ସାମରିକ ଘାଟି ଉପରେ ଏକାଧିକ ଭୟଙ୍କର ଆକ୍ରମଣ ଆରମ୍ଭ କରିଛନ୍ତି। ଇସ୍ରାଏଲ ତେହେରାନ ସମେତ ଅନେକ ଇରାନ ସହରରେ ଅବସ୍ଥିତ ବଡ଼ ବଡ଼ ତେଲ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ କରିଛି। ଫଳରେ ସବୁଠି ନିଆଁ ଦେଖାଯାଉଛି। ଜବାବରେ, ଇରାନ ଇସ୍ରାଏଲର ହାଇଫା ରିଫାଇନାରୀ ଉପରେ ମଧ୍ୟ ବହୁ ସଂଖ୍ୟକ କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ଫଳରେ ଏହା ଯୋଗୁ ଇସ୍ରାଏଲୀ ଅର୍ଥନୀତିକୁ ବଡ଼ ଆଘାତ ଲାଗିବାର ଆଶଙ୍କା ରହିଛି।