ନୂଆଦିଲ୍ଲୀ,୦୩/୦୩: ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ସକାଳେ ଦୁଇଟି ଇରାନୀୟ ଡ୍ରୋନ୍ ଦୂତାବାସ ପରିସରରେ ମାଡ଼ ହେବା ଫଳରେ ସେଠାରେ ନିଆଁ ଲାଗିଯାଇଥିଲା ଏବଂ କୋଠାର ସାମାନ୍ୟ କ୍ଷତି ଘଟିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି । ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦୁଇଟି ଡ୍ରୋନ୍ ଦୂତାବାସର ଛାତ ଏବଂ ପରିସରରେ ମାଡ଼ ହୋଇଥିଲା । ଏହାଫଳରେ ବିସ୍ଫୋରଣର ଶବ୍ଦ ଶୁଣାଯିବା ସହ ଆକାଶରେ କଳା ଧୂଆଁ ଦେଖାଦେଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ‘ଖୁବଶୀଘ୍ର ଆପଣମାନେ ଆମର ପ୍ରତିଶୋଧ ବିଷୟରେ ଜାଣିବାକୁ ପାଇବେ’। ତେବେ ଏଥିପାଇଁ ବୋଧହୁଏ ସୈନ୍ୟ ପଠାଇବା ବା ‘ବୁଟ୍ସ ଅନ୍ ଦ ଗ୍ରାଉଣ୍ଡ’ର ଆବଶ୍ୟକତା ପଡ଼ିନପାରେ ବୋଲି ସେ ସୂଚନା ଦେଇଛନ୍ତି । କେବଳ ରିୟାଦ ନୁହେଁ, ଆବୁଧାବି, ଦୁବାଇ ଏବଂ ଦୋହା ଭଳି ସହରକୁ ମଧ୍ୟ ଇରାନ ଟାର୍ଗେଟ୍ କରିଥିବା ଖବର ମିଳିଛି । ୟୁଏଇ ଏହି ଆକ୍ରମଣକୁ ଭୟଙ୍କର ଉତ୍ତେଜନା ବୋଲି କହିବା ସହ ତେହେରାନରେ ଥିବା ନିଜର ଦୂତାବାସକୁ ବନ୍ଦ କରିଦେଇଛି । ଆମେରିକା ନିଜର ନାଗରିକମାନଙ୍କୁ ତୁରନ୍ତ ସାଉଦି ଆରବ, ୟୁଏଇ ଏବଂ କୁଏତ ସମେତ ୧୩ଟି ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି ।