ଭୁବନେଶ୍ୱର,୧୮/୦୨: ଶୃଙ୍ଖଳିତ ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି କରୁଛନ୍ତି । ଏପରିକି ଦେଢ଼ ମାସ ମଧ୍ୟରେ ମୁଖ୍ୟ ସଚିବ ଅନୁ ଗର୍ଗ ଦୁଇ ଥର ଶୃଙ୍ଖଳିତ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ କରିସାରିଲେଣି । ରଥଯାତ୍ରାରେ ଯେଉଁ ଯେଉଁ କ୍ଷେତ୍ରରେ ବିଭ୍ରାଟ ଦେଖାଯାଉଛି ତାର ଯଥାସମ୍ଭବ ସମାଧାନ କରିବାକୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍ପି ପ୍ରତୀକ ସିଂହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ଚଳିତବର୍ଷ ରଥଯାତ୍ରାରେ ଏହାକୁ ଲାଗୁ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଉଭୟ ଗୁଣ୍ଡିଚା ଓ ବାହୁଡ଼ା ପାଇଁ ୨ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା କରାଯିବ। ଉତ୍ତରା ଛକରୁ ବଡ଼ଦାଣ୍ଡ ପର୍ୟ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ଲଗାଯିବ।ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୭୦ଟି ସ୍ଥାନରେ ଏଲ୍ଇଡି ଟିଭି ଲଗାଯିବ। ବଡ଼ଦାଣ୍ଡକୁ ଉଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ୫୦ଟି ହାଇମାଷ୍ଟ ଲାଇଟ୍ ଲଗାଯିବ।