ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ, ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ

ଭୁବନେଶ୍ୱର,୧୭/୦୨: ଓଡ଼ିଶା ବଜେଟ ଅଧିବେଶନରେ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ। ରାଜ୍ୟର ବିକାଶ ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ସେ କହିଛନ୍ତି ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ବ୍ୟାପକ ଉଦ୍ୟମ କରିଛନ୍ତି । ବାଣପୁର ମାଟିରୁ ଆକାଂକ୍ଷୀ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ, ୨୦୨୫-୨୬ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨୦୦୦ କୋଟି ଟଙ୍କା ବ୍ୟୟ ହେବ । ଆଧୁନିକ ଶ୍ରେଣୀକକ୍ଷ, ଡିଜିଟାଲ ସାଧନ ଓ କ୍ରୀଡ଼ା ସୁବିଧା ମାଧ୍ୟମରେ ଶିକ୍ଷା ଢାଞ୍ଚା ଓ ଶିକ୍ଷା ପରିବେଶର ମାନ ଉନ୍ନତି ପାଇବ । ପ୍ରତ୍ୟେକ ଶିଶୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାରେ ପାରଦର୍ଶୀ ହେବେ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟରେ ନୂଆ ସରକାର୍ ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ୧୯ ହଜାର ସୃଷ୍ଟି କରିବାକୁ ଧାର୍ୟ୍ୟ କରାଯାଇଥିଲା । SHG ସଦସ୍ୟ ମାନଙ୍କୁ ବାର୍ଷିକ ଅନ୍ୟୁନ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା କ୍ଷେତ୍ରରେ ସରକାର ଅଶେଷ ସଫଳତା ପାଇଛନ୍ତି। ସୁଭଦ୍ରାରେ ଏପର୍ଯ୍ୟନ୍ତ ଆବେଦନ କଲେଣି ୧କୋଟି ୧୨ ଲକ୍ଷରୁ ଅଧିକ ମହିଳା । ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇଁ ୬ ହଜାର କୋଟି ଟଙ୍କା ଏବଂ ସିଏମ୍ କିଶାନ ଯୋଜନାରେ ଆୟବୃଦ୍ଧି ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଫଳରେ ଚାଷୀ ପରିବାରର ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି କହିଛନ୍ତି ରାଜ୍ୟପାଳ। ମେକ ଇନ ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାରଙ୍କୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା। ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିସାରିଲେଣି ସରକାର। ଦୁଇ ଲକ୍ଷ କୋଟିର ନିବେଶ ସହ ଏକ ଲକ୍ଷ ୬୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *