ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା, ମନ୍ଦିର ଉପରେ ଉଡି ପାରିବନି ଡ୍ରୋନ୍

ଭୁବନେଶ୍ୱର,୧୫/୦୨: ଆଜି ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ସଜେଇ ହୋଇଛି ରାଜ୍ୟ ତଥା ଦେଶର ତମାମ ଶିବ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି । ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ସେପଟେ ଆଜି ମହାଶିବରାତ୍ରି ଉପଲକ୍ଷେ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁ ମାନଙ୍କ ଗହଳିଚହଳି ଲାଗିରହିଛି । ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି । ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିପାରିବନି ଡ୍ରୋନ୍ । ଏହି କଟକଣା ଲଗାଇଛି କମିଶନରେଟ୍ ପୁଲିସ । ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ମନ୍ଦିର ଚାରିପଟେ ବିନା ଅନୁମତିରେ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ମାନବବିହୀନ ଏରିଏଲ୍ ଡିଭାଇସ୍ ଉଡାଇବା ନିଷେଧ କରାଯାଇଛି ।

Leave a Reply

Your email address will not be published. Required fields are marked *