ଭୁବନେଶ୍ୱର,୧୧/୦୯: ଅଦାଲତ ଅବମାନନା ମାମଲା, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ହାଇକୋର୍ଟ ଜାରି କଲେ ପୁଲିସ ନୋଟିସ୍ । ପୁଲିସ କୁଳପତିଙ୍କୁ ଅଦାଲତ ଅବମାନନା ମାମଲାର ନୋଟିସ ପ୍ରଦାନ କରିବା ସହିତ କାର୍ଯ୍ୟକାରୀ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ ।ଏଥିରେ ଅବହେଳା ହେଲେ ଶୃଙ୍ଖଳାଗତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ହାଇକୋର୍ଟ କହିଛନ୍ତି । ଫେବ୍ରୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଜେଲ୍ଦଣ୍ଡ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସିନିୟର ଆସିଷ୍ଟାଣ୍ଟ ତଥା ଆବେଦନକାରୀଙ୍କୁ ପିଛିଲା ତାରିଖରୁ ପଦୋନ୍ନତି, ୧୨ ପ୍ରତିଶତ ବାର୍ଷିକ ସୁଧ ସହିତ ବକେୟା ପ୍ରାପ୍ୟ ପ୍ରଦାନ ସପକ୍ଷରେ ୨୦୨୫ ଅକ୍ଟୋବରରେ ହାଇକୋର୍ଟ ରାୟ ଦେଇଥିଲେ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀରେ ଅବହେଳା ଅଭିଯୋଗ କରି ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।