ଏଆଇ ଉପରେ ସରକାରୀ ଛାଟ, ମାତ୍ର ୩ ଘଣ୍ଟା ମଧ୍ୟରେ ଫେକ୍ କଣ୍ଟେଣ୍ଟ୍ ହଟାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧/୦୨: ଭାରତ ସରକାରଙ୍କ ପକ୍ଷରୁ ଏଆଇ କଣ୍ଟେଣ୍ଟ୍ ଏବଂ ଡିପଫେକ୍ ବିରୋଧରେ ବଡ଼ ପଦକ୍ଷେପ ନିଆଯାଇଛି । ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ମାତ୍ର ୩ ଘଣ୍ଟା ମଧ୍ୟରେ ଆପତ୍ତିଜନକ ଏଆଇ କଣ୍ଟେଣ୍ଟ୍ ହଟାଇବାକୁ ପଡ଼ିବ । ନୂତନ ଗାଇଡଲାଇନ୍ ଅନୁଯାୟୀ, ଯଦି କୌଣସି ଏଆଇ ଜେନେରେଟେଡ୍ କଣ୍ଟେଣ୍ଟ୍ ବିବାଦୀୟ କିମ୍ବା କାହାର ବ୍ୟକ୍ତିଗତ ସମ୍ମାନ ହାନି କରୁଥାଏ, ତେବେ ଅଭିଯୋଗ ପାଇବାର ମାତ୍ର ୩ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ଲାଟଫର୍ମକୁ ତାହା ହଟାଇବାକୁ ପଡ଼ିବ । ଆସନ୍ତା ୨୦ ତାରିଖରୁ ଏହି ନିୟମ ଲାଗୁହେବ । ଏଅଆଇର ବ୍ୟବହାର ଯୋଗୁ ଫଟୋ, ଭିଡ଼ିଓ, ଅଡ଼ିଓ କଣ୍ଟେଣ୍ଟର ସତ୍ୟତା ଜାଣିବା କଷ୍ଟକର ହୋଇପଡୁଛି । ଏଆଇ, ଡିପଫେକ୍ ଦ୍ବାରା ସୋସିଆଲ ମଡିଆରେ ମହିଳାମାନେ ନିର୍ଯାତନାର ଶୀକାର ହେଉଛନ୍ତି । ଯାହାର ପ୍ରତିକାର ପାଇଁ ଏଭଳି କଟକଣା ଜାରି କରାଯାଇଛି ।

ଏଆଇ ଦ୍ୱାରା ପ୍ରସ୍ତୁତ ଭିଡିଓ ବା ଫଟୋରେ ସ୍ପଷ୍ଟ ଭାବେ ‘ଏଆଇ-ଜେନେରେଟେଡ୍‌’ ଲେଖିବାକୁ ପଡ଼ିବ । ଭିଡିଓର ଅତିକମ୍‌ରେ ୧୦% ଅଂଶରେ ଏଆଇ ଲେବେଲ୍ କିମ୍ବା ୱାଟରମାର୍କ ରହିବା ଆବଶ୍ୟକ । ପ୍ରତ୍ୟେକ ଏଆଇ କଣ୍ଟେଣ୍ଟରେ ମେଟାଡାଟା ଆଇଡେଣ୍ଟିଫାୟାର ରହିବ । ଯାହାଦ୍ୱାରା ଏହାର ପ୍ରକୃତ ସ୍ରଷ୍ଟାଙ୍କୁ ଖୋଜାଯାଇପାରିବ । ଫଳରେ କଣ୍ଟେଣ୍ଟର ସତ୍ୟତାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବ ନାହିଁ । ପ୍ରତି ୩ ମାସରେ ଥରେ ୟୁଜର୍ସଙ୍କୁ ଏଆଇ ନିୟମ ସମ୍ପର୍କରେ ସତର୍କ କରାଯିବ। ଆପେ ଆପେ ଡିପଫେକ୍ କଣ୍ଟେଣ୍ଟକୁ ଚିହ୍ନଟ କରିବା ଭଳି ଟେକ୍ନୋଲୋଜି ବ୍ୟବହାର କରିବେ କମ୍ପାନୀ । ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ କମ୍ପାନି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *