ନୂଆଦିଲ୍ଲୀ,୧୦/୦୨: ମହାକାଶରୁ ଶତ୍ରୁ ଉପରେ ନଜର ରଖିବା ପାଇଁ ଭାରତ ନିଜର କ୍ଷମତା ବୃଦ୍ଧି କରୁଛି । ଅହମଦାବାଦ ସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି । ପ୍ରଥମ ଥର ପାଇଁ କୌଣସି ଘରୋଇ କ୍ଷେତ୍ର କକ୍ଷପଥରେ ଥିବା ଅନ୍ୟ ବସ୍ତୁର ଫଟୋ ଉଠାଇବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି । ଭାରତର ମହାକାଶ ପରିସ୍ଥିତିଗତ ସଚେତନତା ବା କକ୍ଷପଥ ଗୁପ୍ତଚରୀକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଆଜିଷ୍ଟାର ପ୍ରମାଣିତ କରିଛି ଯେ, ସମ୍ପୂର୍ଣ୍ଣ ଭାବରେ ଭାରତରେ ବିକଶିତ ସ୍ୱଦେଶୀ ଆଲଗୋରିଦମ, ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ ଓ ସାଟେଲାଇଟ୍ ଇଞ୍ଜିନିୟରିଂ ଦ୍ବାରା କକ୍ଷପଥରେ ଥିବା ବସ୍ତୁଗୁଡ଼ିକୁ ଟ୍ରାକ୍ ଓ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ ।