ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ବିଜେପିର ୟୁମନାମ ଖେମଚାନ୍ଦ ସିଂହ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ନୂଆଦିଲ୍ଲୀ,୦୪/୦୨: ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ପରେ, ମଣିପୁରରେ ନୂଆ ସରକାର ଗଠନ ହୋଇଛି । ବିଜେପିର ୟୁମନାମ ଖେମଚାନ୍ଦ ସିଂହ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ନୂତନ ମୁଖ୍ୟମନ୍ତ୍ରୀ ଭାବେ ୟୁମନାମ ଖେମଚାନ୍ଦ ଶପଥ ଗ୍ରହଣ କରିଛନ୍ତି । ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲା ଲୋକ ଭବନରେ ଶପଥ ପାଠ କରାଇଛନ୍ତି । ୬୨ ବର୍ଷୀୟ ଖେମଚାନ୍ଦ, ବୀରେନ ସରକାରରେ ପୌର ପ୍ରଶାସନ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଜଣେ ଦାବିଦାର ଥିଲେ । ଖେମଚାନ୍ଦଙ୍କୁ ଆରଏସଏସର ନିକଟତର ବୋଲି ବିବେଚନା କରାଯାଏ ।

ମଙ୍ଗଳବାର ବିଜେପି ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଖେମଚାନ୍ଦ ସିଂହଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା । ବିଜେପି ହାଇକମାଣ୍ଡ ଏଥିପାଇଁ ତରୁଣ ଚୁଗଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋବିନ୍ଦ ଦାସ ଏବଂ ଟି. ବିଶ୍ୱଜିତ ସିଂହ ପ୍ରମୁଖ ଦୌଡ଼ରେ ଥିଲେ ।

ମଣିପୁରରେ ମେ’ ମାସ ୩ତାରିଖ ୨୦୨୩ରେ ହିଂସା ଆରମ୍ଭ ହୋଇଥିଲା, ଯେତେବେଳେ ଚୁରାଚାନ୍ଦପୁରରେ କୁକି ଓ ମୈତେଇ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ସେବେଠାରୁ ମଣିପୁରରେ ହିଂସା ଜାରି ରହିଛି। ଏହି ହିଂସା ମଧ୍ୟରେ, ଗତ ବର୍ଷ ମଣିପୁରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେଇଥିଲେ। ଏହା ପରେ, ଫେବୃଆରୀ ୧୨ ତାରିଖରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ବର୍ତ୍ତମାନ, ପ୍ରାୟ ଗୋଟିଏ ବର୍ଷ ପରେ, ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି।