ଅକ୍ଟୋବରରୁ ବଦଳିବ କ୍ରିକେଟ୍‌ ନିୟମ, ୭୩ଟି ସଂଶୋଧନ ଆଣିଲା ଏମ୍‌ସିସି

ନୂଆଦିଲ୍ଲୀ,୦୪/୦୨: କ୍ରିକେଟ୍‌ର ନିୟମ ପ୍ରଣୟନ କରୁଥିବା ସର୍ବୋଚ୍ଚ ସଂସ୍ଥା ଏମସିସି ନିୟମାବଳୀରେ ମୋଟ ୭୩ଟି ସଂଶୋଧନ କରିଛି ଓ ଏଗୁଡ଼ିକ ଆସନ୍ତା ଅକ୍ଟୋବର ମାସରୁ ଲାଗୁ ହେବ । ଏସବୁ ନିୟମଗୁଡ଼ିକ ଆଗାମୀ ଦିନରେ କ୍ରିକେଟ୍‌କୁ ବ୍ୟାପକ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି । ପ୍ରମୁଖ ସଂଶୋଧନ ମଧ୍ୟରେ ରହିଛି ଟେଷ୍ଟ୍‌ରେ ଶେଷ ଓଭର ବୋଲିଂ ନିୟମ । ଯଦି ଗୋଟିଏ ଦିନର ଖେଳରେ ଶେଷ ଓଭର ବୋଲିଂ କରାଯାଉଛି ଓ ଗୋଟିଏ ଓ୍ବିକେଟ୍ ପଡ଼ିଲା, ତେବେ ସେହି ଓଭରକୁ ଶେଷ କରିବା ବାଧ୍ୟତାମୂଳକ ହେବ । ଅର୍ଥାତ୍ ଓଭର ମଝିରୁ ଷ୍ଟମ୍ସ୍‌ ଅପସାରଣ କରାଯାଇପାରିବ ନାହିଁ । ଆଉ ଏକ ସଂଶୋଧିତ ନିୟମ ହେଉଛି ବୋଲରଙ୍କ ରନ୍‌-ଅପ୍‌ ସମୟରେ ଓ୍ବିକେଟ ରକ୍ଷକ ନିଜର ଗ୍ଲୋଭସ୍‌କୁ ଷ୍ଟମ୍ସ ଆଗକୁ ସାମାନ୍ୟ ଆଣିପାରିବେ ଓ ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯିବ ନାହିଁ । ତେବେ ବୋଲରଙ୍କ ହାତରୁ ବଲ ବାହାରିବା ପରେ ତାଙ୍କର ଗ୍ଲୋଭସ୍‌ ଷ୍ଟମ୍ସ ପଛରେ ରହିବ । ସେହିପରି ଲାମିନେସନ ହୋଇଥିବା ବ୍ୟାଟ୍‌ଗୁଡ଼ିକୁ ଅନୁମତି ଦିଆଯିବ । ପୁଣି ବିଭିନ୍ନ ସ୍ତରର କ୍ରିକେଟ୍ ( ମହିଳା, କନିଷ୍ଠ, ଉପ-କନିଷ୍ଠ) ପାଇଁ ବଲର ଆକାର ( ସାଇଜ୍‌-୧,୨ ଓ ୩) ନିର୍ଦ୍ଧାରିତ କରାଯାଇଛି । ସେହିପରି ବନି ହପ୍ କ୍ୟାଚ୍‌ ନିୟମରେ ପରିବର୍ତ୍ତନ ଅଣାଯାଇଛି ।