ବଜେଟର ବଡ଼ ଖବର: କ’ଣ ଶସ୍ତା ଓ କ’ଣ ମହଙ୍ଗା?

ଭୁବନେଶ୍ୱର,୦୨/୦୨: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଦୀ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର କ୍ରମାଗତ ନବମ ବଜେଟ୍ ଥିଲା । ଏହି ବଜେଟ୍‌ରେ ସାଧାରଣ ଜନତାଙ୍କ ପାଇଁ ଅନେକ ବଡ଼ ଘୋଷଣା କରାଯାଇଥିବା ବେଳେ ସାମଗ୍ରୀର ଦରଦାମରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର ହେଉଛି ଯେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି ।କ୍ୟାନ୍ସର ଏବଂ ଡାଏବେଟିସ୍ ପାଇଁ ବ୍ୟବହୃତ ୧୭ଟି ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଡ୍ୟୁଟି ଫ୍ରି କରାଯାଇଛି, ଯାହା ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ । ମୋବାଇଲ୍ ବ୍ୟାଟେରୀ ଏବଂ ଲିଥିୟମ୍ ଆୟନ ସେଲ୍ ଶସ୍ତା ହେବ । ଏଥିସହିତ ମାଇକ୍ରୋୱେଭ୍ ଓଭେନ ମଧ୍ୟ ଶସ୍ତା ହେବାକୁ ଯାଉଛି । ପରିବେଶ ଅନୁକୂଳ ଗାଡ଼ି ବା ଇଲେକ୍ଟ୍ରିକ୍ ଭେହିକିଲ୍ ଏବଂ ସୋଲାର ଗ୍ଲାସ ଶସ୍ତା ହେବ । ମିକ୍ସଡ୍ ଗ୍ୟାସ୍ ସିଏନଜି ଦର ମଧ୍ୟ ହ୍ରାସ ପାଇବ । କପଡ଼ା, ଲେଦର ଆଇଟମ୍, ସିନ୍ଥେଟିକ୍ ଫୁଟୱେୟାର ଏବଂ ଚମଡ଼ା ଜାତୀୟ ସାମଗ୍ରୀର ଦାମ୍ କମିବ । ବିମାନ ଜାଳେଣିର ଶୁଳ୍କ କମିଥିବାରୁ ବିମାନ ଯାତ୍ରା ଏବଂ ବିଦେଶ ଯାତ୍ରା ମଧ୍ୟ ଶସ୍ତା ହୋଇପାରେ । ବଜେଟ୍‌ରେ କେବଳ ଶସ୍ତା ନୁହେଁ, କିଛି ଜିନିଷ ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ଫଳରେ କିଛି ଜିନିଷର ଦର ବୃଦ୍ଧ ହୋଇଛି ।

ସବୁଠାରୁ ଅଧିକ ପ୍ରଭାବ ମଦ ଉପରେ ପଡ଼ିବ, ଯାହାର ଦାମ୍ ବଢ଼ିବାକୁ ଯାଉଛି । ବିଭିନ୍ନ ପ୍ରକାରର ସ୍କ୍ରାପ୍ ଏବଂ ଖଣିଜ ପଦାର୍ଥ ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏହା ସହ ଜଡ଼ିତ ଶିଳ୍ପଗୁଡ଼ିକ ପ୍ରଭାବିତ ହୋଇପାରନ୍ତି ।