ସଂସଦର ବଜେଟ ଅଧିବେଶନ ଆରମ୍ଭ, ପ୍ରଥମେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮/୦୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବୁଧବାର ଜାନୁୟାରି ୨୮ଠାରୁ ଫେବ୍ରୁଆରିୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁଙ୍କ ଏକ ଏକ୍ସ-ପୋଷ୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ବଜେଟ ବିତର୍କ ହେବ । ଏହା ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ, ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ, ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର, ଫେବ୍ରୁଆରି ୧ ରେ ବଜେଟ୍ ଉପସ୍ଥାପନ କରିବେ । ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇ କହିଛନ୍ତି, ସରକାର ଏକ ବିକଶିତ ଭାରତ ପାଇଁ ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ ଦେଖୁଛନ୍ତି । ତେଣୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଗ୍ରାମାଞ୍ଚଳରେ ବିକାଶ ଓ ନିଯୁକ୍ତି ପାଇଁ ବିକଶିତ ଭାରତ – ଜୀ ରାମ ଜୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ବିରୋଧୀ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଲୋଗାନ ଓ ହୋହାଲ୍ଲା କରିଥିଲେ । ରାଷ୍ଟ୍ରପତି ଦାବି କରିଥିଲେ ଯେ, ସରକାର ପ୍ରକୃତ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ଅଛନ୍ତି ।