ନୂଆଦିଲ୍ଲୀ,୨୧/୦୧: ଭାରତୀୟ ବଂଶୋଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି। ତାଙ୍କର ୧୦ ଦିନିଆ ମହାକାଶ ମିଶନ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ସାଢେ ନଅ ମାସ ରହିବା ପରେ ଶେଷ ହୋଇଥିଲା। ସେ ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି। ନାସା ଏହା ଘୋଷଣା କରି କହିଛି ଯେ, ତାଙ୍କର ଅବସର ଗତ ଖ୍ରୀଷ୍ଟମାସ ପରେ ୧୭ ଡିସେମ୍ବର ୨୦୨୫ ରେ କାର୍ଯ୍ୟକାରୀ ହୋଇଥିଲା। ତାଙ୍କ ଅବସର ସମ୍ପର୍କରେ ନାସା ପ୍ରଶାସକ ଜାରେଡ୍ ଆଇଜାକମ୍ୟାନ୍ କହିଛନ୍ତି, ସୁନିତା ୱିଲିୟମ୍ସ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ମହାକାଶ ଷ୍ଟେସନରେ ତାଙ୍କ ନେତୃତ୍ୱରେ ଗବେଷଣା ବେଶ୍ ଉଚ୍ଚକୋଟୀର। ତାଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିମ୍ନ ପୃଥିବୀ କକ୍ଷପଥକୁ ବାଣିଜ୍ୟିକ ମିଶନ ପାଇଁ ପଥ ପ୍ରଶସ୍ତ କରିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ପାଇଁ ତାଙ୍କର କାର୍ଯ୍ୟ ଚନ୍ଦ୍ରକୁ ଆର୍ଟେମିସ୍ ମିଶନ ଓ ମଙ୍ଗଳ ଗ୍ରହକୁ ଯାତ୍ରା ପାଇଁ ମୂଳଦୁଆ ପକାଇଥିଲା। ତାଙ୍କର ଅସାଧାରଣ ସଫଳତା ନୂଆ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ଓ ମହାକାଶ କ୍ଷେତ୍ରରେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢାଇବାକୁ ପ୍ରେରଣା ଦେବ। ମୂଳ ଭାରତୀୟ ମହାକାଶଚାରୀ ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ। ତିନୋଟି ମିଶନରେ ୬୦୮ ଦିନ ମହାକାଶରେ ବିତାଇଛନ୍ତି।