ନୂଆଦିଲ୍ଲୀ,୨୦/୦୧: ନିତିନ ନବୀନ ଆଜି ବିଧିବଦ୍ଧ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୪୫ ବର୍ଷୀୟ ନବୀନ ଏହି ପଦରେ ଅଭିଷିକ୍ତ ହେବାରେ ସର୍ବକନିଷ୍ଠ ନେତା। ତାଙ୍କ ପୂର୍ବରୁ ବିଜେପି ଅଧ୍ୟକ୍ଷ ଥିବା ଜେପି ନଡ୍ଡା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ନବୀନ ତାଙ୍କର ନୂତନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରାୟ ମାସକ ପୂର୍ବରୁ ନବୀନ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନବୀନ ଝଣ୍ଡେୱାଲାନ ମନ୍ଦିର, ବାଲ୍ମୀକି ମନ୍ଦିର ଓ କନ୍ନଟ ପ୍ଲେସର ହନୁମାନ ମନ୍ଦିର ସମେତ ଦିଲ୍ଲୀର ଏକାଧିକ ପ୍ରସିଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ। ସେ ଗୁରୁଦ୍ୱାରା ବାଂଲା ସାହିବ ମଧ୍ୟ ପରିଦର୍ଶନ କରିଥିଲେ ।