ଆମେରିକାରେ ବଡ଼ ଦୁର୍ଘଟଣା, ପରସ୍ପର ସହ ପିଟି ହେଲେ ୧୦୦ରୁ ଅଧିକ ଗାଡ଼ି

ନୂଆଦିଲ୍ଲୀ,୨୦/୦୧: ଆମେରିକାର ମଧ୍ୟ-ପଶ୍ଚିମ ଅଞ୍ଚଳରେ ପ୍ରବଳ ତୁଷାରପାତ ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି । ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ ଦେଖିବାକୁ ମିଳିଛି । ପ୍ରବଳ ତୁଷାରପାତ ଓ ଖରାପ ଦୃଶ୍ୟମାନ୍ୟତା ଯୋଗୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ରାଜପଥରେ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହିତ ପଛକୁ ପଛ ଧକ୍କା ହୋଇଛନ୍ତି । ଦୁର୍ଘଟଣା ସମୟରେ ପ୍ରବଳ ତୁଷାରପାତ ହେଉଥିଲା । ରାସ୍ତା ଧଳା ବରଫର ଚାଦରରେ ଘୋଡେଇ ହୋଇଥିଲା । ଯାହା ଫଳରେ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୋଇପଡ଼ିଥିଲା । ଲୋକଙ୍କ କହିବା ଅନୁସାରେ, ଗୋଟିଏ ଗାଡ଼ି ହଠାତ୍ ରାସ୍ତାରୁ ଖସିଯାଇଥିଲା। ପଛରେ ଥିବା ଗାଡ଼ିଗୁଡ଼ିକ ସମୟ ମଧ୍ୟରେ ବ୍ରେକ୍ ଦେଇପାରିଲେ ନାହିଁ। ଫଳରେ ପଛକୁ ପଛ ଗୋଟିଏ ପରେ ଗୋଟିଏ ଗାଡ଼ି ଧକ୍କା ହୋଇଥିଲା। କିଛି ସେକେଣ୍ଡ ମଧ୍ୟରେ ଏହା ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା। ଚାଳକମାନେ ନିଜ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ସମୟ ପାଇଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।। ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ପ୍ରବଳ ତୁଷାରପାତ ରାସ୍ତା ଅବରୋଧ କରିଥିବାବେଳେ ଦୃଶ୍ୟମାନତା ହ୍ରାସ ପାଇଛି ।