ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ସଫଳତା, ଟଳିଲେ ୨ ମାଓବାଦୀ

ନୂଆଦିଲ୍ଲୀ,୧୭/୦୧: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ସଫଳତା ମିଳିଛି । ଟପ୍ ନକ୍ସଲ କମାଣ୍ଡର ପାପା ରାଓଙ୍କୁ ଯବାନମାନେ ଏନକାଉଣ୍ଟରରେ ମାରି ଦେଇଛନ୍ତି । ହିଡମାଙ୍କ ମୃତ୍ୟୁ ପରେ ନକ୍ସଲ କମାଣ୍ଡର ପାପା ରାଓଙ୍କ ନିହତ ହେବା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଉପଲବ୍ଧି । ଏହା ସହିତ ଅନ୍ୟ ଜଣେ ନକ୍ସଲ ମଧ୍ୟ ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଦୁଇଟି AK-47 ରାଇଫଲ୍ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ପାପା ରାଓ ଭୈରମଗଡ଼ ୱେଷ୍ଟ ବସ୍ତର ଏରିଆ କମିଟି ସହିତ ଜଡ଼ିତ ଆକ୍ରମଣରେ ସାମିଲ ଥିଲେ । ଏହା ବ୍ୟତୀତ ସେ ସୁରକ୍ଷା ବାହିନୀ ବିରୋଧରେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ କରିଥିଲେ । ପାପା ରାଓଙ୍କ ବିରୋଧରେ ପୁଲିସରେ ୪୦ରୁ ଅଧିକ ଅପରାଧିକ ମାମଲା ଏବଂ ଗିରଫ ୱାରେଣ୍ଟ ରହିଛି । ତାଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ, ନୂତନ ସଦସ୍ୟ ନିଯୁକ୍ତି ଏବଂ PLGA ର ରସଦ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା ।