ନୂଆଦିଲ୍ଲୀ, ୧୬/୦୧: ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି- ଶିବସେନା(ସିନ୍ଦେ) ନେତୃତ୍ବାଧୀନ ମହାୟୁତି ମେଣ୍ଟ ବାଜି ମାରିନେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନେତୃତ୍ବରେ ବିଜେପି ମୁମ୍ବାଇ ମହାନଗର ନିଗମରେ ୨୨୭ ୱାର୍ଡରୁ ୯୦ଟି ୱାର୍ଡରେ ବିଜୟୀ/ଆଗୁଆ ରହିଛି। ୨୦୧୭ରେ ବିଜେପି ଏଠାରେ ୮୨ ଆସନରେ ଜିତିଥିବାବେଳେ ଚଳିତଥର ଏହି ସଂଖ୍ୟାକୁ ଟପି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅନ୍ୟପକ୍ଷେ ବିଜେପିର ମେଣ୍ଟ ସହଯୋଗୀ ଶିବସେନା ୨୮ ଆସନରେ ଆଗରେ ରହିଛି। ଉଭୟ ଏକାଠି ସହଜରେ ମୁମ୍ବାଇରେ ମ୍ୟାଜିକ୍ ନମ୍ବର ୧୧୪ ଅତିକ୍ରମ କରିଛନ୍ତି। ଫଳରେ ଚଳିତ ଥର ଅନେକ ବର୍ଷ ପରେ ମୁମ୍ବାଇକୁ ବିଜେପି- ଶିବସେନା (ସିନ୍ଦେ)ରୁ ଜଣେ ମେୟର ମିଳିବେ। ମୁମ୍ବାଇରେ ଦୀର୍ଘ ୨୮ ବର୍ଷ ପରେ ଠାକ୍ରେ ଗଡ଼ ଭୁଶୁଡ଼ି ପଡ଼ିଛି ।