ଭୁବନେଶ୍ୱର,୧୫/୦୧: ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି। ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ। ମଙ୍ଗଳବାର ଠାରୁ ପ୍ରଭୁ ଲିଙ୍ଗରାଜଙ୍କ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ସଂକ୍ରାନ୍ତିର ପୂର୍ବ ଦିନ ଠାକୁରଙ୍କ ଘୃତ କମ୍ବଳ ନୀତି ହୋଇପାରିନଥିଲା । ଏଥିପାଇଁ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । କିନ୍ତୁ ଅନ୍ୟ ଦିନ ଭଳି ଆଜି ସ୍ବାଭାବିକ ଭାବେ ଚାଲିଛି ନୀତିକାନ୍ତି । କିନ୍ତୁ ଏବେବି ବ୍ରାହ୍ମଣ ଓ ବଡୁ ନିଯୋଗ ମଧ୍ୟରେ ନୀତିକାନ୍ତିକୁ ନେଇ ଜାରି ରହିଛି ତିକ୍ତତା । ୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ । ହଠାତ ୨୦୨୫ ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି। ଏନେଇ କୋର୍ଟରେ ମାମଲା ବି ରହିଛି । ୨୦୨୬ ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣି ହେବ । ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା ବୋଲି କହିଛନ୍ତି କିଛି ସେବାୟତ। ସୂଚନା ଅନୁଯାୟୀ ମକରସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ଉପୁଜିଥିଲା ବିବାଦ । ଏନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମୁହାଁମୁହିଁ ହୋଇଥିଲେ । ଉଭୟ ନିଯୋଗଙ୍କ ବିବାଦ ଯୋଗୁଁ ମଙ୍ଗଳବାର ରାତିରୁ ହୋଇ ପାରିନି ଭୋଗ । ଫଳରେ ଠାକୁର ଓପାସରେ ରହିଛନ୍ତି ।