ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର,୦୬/୦୧:ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଜେପି ସଭାପତି ମନମୋହନ ସାମଲ ଓ  ବିଜେଡି ନେତା ସଂତୃପ୍ତ ମିଶ୍ର ଶୋକ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଦୁଇ ଜଣ ମହିଳା ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପିପିଲି ମଙ୍ଗଳପୁର ଜମାଲପୁର ନିକଟରେ ରାସ୍ତା ଉପରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟିଟି ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା । ଆଉ କାଳ ଯେମିତି ଛକି ବସିଥିଲା ସେହି ବାଲି ଗଦାରେ । ପଛରୁ ଆସୁଥିବା ଦ୍ରୁତଗାମୀ ବସ୍ ତଳେ ପଡ଼ିଥିଲା ସ୍କୁଟି ସହ ୨ ମହିଳାଙ୍କୁ ୨୦ ରୁ ୪୦ ମିଟର ଘୋଷାଡ଼ି ନେଇଗଲା । ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ସାମ୍ବାଦିକା ଶିଲା ପଟ୍ଟନାୟକ । ଘଟଣାରେ ଶିଲାଙ୍କ ସହ ଥିବା ମହିଳା ଗୁରୁତର ହୋଇଥିଲେ କିନ୍ତୁ ମେଡିକାଲ୍ ନେବା ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସବୁବେଳେ ସମ୍ବାଦ ଦେଉଥିବା ମଣିଷଟି କେଇ ମିନିଟରେ ନିଜେ ସମ୍ବାଦ ପାଲଟିଗଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଜବତ କରି ଫେରାର ଥିବା ବସକୁ ଧରିବାକୁ ଉଦ୍ୟମ କରୁଛି ।