ବାୟୁ ପ୍ରଦୂଷଣ ଟେନସନ, ଟ୍ୱିନ ସିଟିରେ ୭ ଦିନ ପର୍ଯ୍ୟନ୍ତ ଲାଗିଲା କଟକଣା

ଭୁବନେଶ୍ୱର,୦୬/୦୧: ଟୁଇନ୍ ସିଟିରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଭୁବନେଶ୍ୱର ଏବଂ କଟକରେ ବାୟୁର ମାନ ସୂଚକାଙ୍କ ଖରାପ ହେଉଥିବାରୁ ଆଜିଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି କଟକଣା ବିଷୟରେ ସୂଚନା ଦେଇ କହିଛନ୍ତି, ଏହି ସମୟ ମଧ୍ୟରେ ଟୁଇନ୍ ସିଟିରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ରାସ୍ତାରେ ଧୂଳି କଣିକା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପାଣି ଛିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ଏବଂ ଭୁବନେଶ୍ୱରର ବାୟୁ ପ୍ରଦୂଷଣ ସ୍ଥିତିକୁ ବିଭାଗ ପକ୍ଷରୁ ଲଗାତାର ସମୀକ୍ଷା କରାଯାଉଛି । ବାୟୁ ପ୍ରଦୂଷଣର ପ୍ରକୃତ କାରଣ ଖୋଜିବା ଏବଂ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଜ୍ଞାନିକ, ପରିବେଶ ବିଶେଷଜ୍ଞ ଏବଂ ଇଞ୍ଜିନିୟରମାନେ ଉପସ୍ଥିତ ରହିବେ । ବୈଠକରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଏବଂ ଭବିଷ୍ୟତର ଯୋଜନା ଉପରେ ଆଲୋଚନା କରାଯିବ ।