ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୦୫/୦୧: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ । କୋର୍ଟ କହିଛନ୍ତି ଯେ ଉଭୟଙ୍କୁ ଜାମିନ ମିଳିବ ନାହିଁ । ଏହି ଟିପ୍ପଣୀ ଦେବା ସହ ସୁପ୍ରିମକୋର୍ଟ ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ମାମଲାକୁ ଅନ୍ୟ ଅଭିଯୁକ୍ତଙ୍କ ସହ ତୁଳନା କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଜାମିନ ଆବେଦନର ଯାଞ୍ଚ ଅଲଗା ଅଲଗା ଭାବେ କରିବାକୁ ହେବ , କାରଣ ସାତ ଜଣଯାକ ଅଭିଯୁକ୍ତ ଅପରାଧ ମାମଲାରେ ଏକାଭଳି ସ୍ଥିତିରେ ନାହାନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଜାଣିଶୁଣି ସାମୂହିକ କିମ୍ବା ସମାନ ଦୃଷ୍ଟିକୋଣରୁ ବଞ୍ଚିବାକୁ ଚେଷ୍ଟା କରାଯାଇଛି । ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ବିରୋଧରେ ପ୍ରାଥମିକ ଦୃଷ୍ଟିରୁ ଅଭିଯୋଗ ପ୍ରମାଣିତ ହେଉଥିବା ନେଇ କୋର୍ଟ ସନ୍ତୁଷ୍ଟ ଅଛନ୍ତି । ଅପିଲକାରୀଙ୍କ ଉପରେ ଆଇନଗତ ସର୍ତ୍ତ ଲାଗୁ ହେଉଛି । ସେମାନଙ୍କୁ ଜାମିନରେ ମୁକ୍ତ କରିବାର କୌଣସି ଯଥାର୍ଥତା ନାହିଁ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କୁ ବାଦ୍ ଦେଇ ବାକି ଅଭିଯୁକ୍ତ ଗୁଲଫିସା ଫାତିମା, ମୀରାନ ହାଇଦର, ଶିଫା-ଉର୍-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମ୍ମଦଙ୍କ ଜାମିନ ମଞ୍ଜୁର କରିଛନ୍ତି ।