ଆମ ବସ୍ ଦୁର୍ଘଟଣା ଘଟଣା, ବସ୍‌ର ନିୟମିତ ଫିଟନେସ୍ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୦୪/୦୧:ଆମ ବସ୍ ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାରମ୍ବାର ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଡ୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ଟ୍ରେନିଂ ଦେବାକୁ ପରାମର୍ଶ ଦେଇଛନ୍ତି । ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି କରିବା ସହ ବସ୍‌ର ନିୟମିତ ଫିଟନେସ୍ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡ୍‌ରେ ପରିବହନ ବିଭାଗ । ରାଜଧାନୀରେ ଆମ ବସ୍‌ର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ଖୋଦ ପରିବହନ କମିସନର ଫିଟନେସ୍ ଯାଞ୍ଚ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରାଯାଇଛି। ପରିବହନ କମିସନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଟିମ୍ ଆମ ବସ୍ ରୁଟ୍‌ରେ ରହି ଯାଞ୍ଚ କରୁଛନ୍ତି । ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍, ଚାଳକଙ୍କ ଶାରୀରିକ ଓ ମାନସିକ ସ୍ଥିତି ଏବଂ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯାଉଛି।