ଭୁବନେଶ୍ୱର,୦୪/୦୧: ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିଲେ ଥାନା ବାବୁ ବିଜୟ କୁମାର ବାରିକ । ପୁଣି ଘରୁ ମିଳିଲା ନଗଦ ୫ ଲକ୍ଷ ଟଙ୍କା। ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ଅର୍ଥାତ୍ ଜାନୁଆରି ୪ ତାରିଖରେ କଟକର ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭୁବନେଶ୍ୱରର ରାଜମହଲ ଛକରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଭିଯୁକ୍ତ ବିଜୟ ବାରିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଭୁବନେଶ୍ୱରର ୟୁନିଟ୍ ୧ ସ୍ଥିତ ବିଜୟ କୁମାର ବାରିକଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ଜାରି ରହିଛି ।