ଭୁବନେଶ୍ୱର,୦୪/୦୧: ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି । ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି । ଏପଟେ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ବାୟୁର ଗୁଣବତ୍ତା ବା ଏକ୍ୟୁଆଇ ଖରାପ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଅପରାହ୍ଣ ୪ଟାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୩୩୨ ଏକ୍ୟୁଆଇ ସହ ତାଳଚେର ଭାରତର ସର୍ବାଧିକ ପ୍ରଦୂଷିତ ସହର ଭାବେ ରେକର୍ଡ କରିଛି । ଦ୍ୱିତୀୟ ସ୍ଥାନରେ ରହିଛି ବାରିପଦା ସହର। ଏହାର ଏକ୍ୟୁଆଇ ରହିଛି ୩୨୪ । ସେହିପରି ଅନୁଗୁଳରେ ବାୟୁର ଗୁଣବତ୍ତା ୩୨୧ ସହ ତୃତୀୟ ସ୍ଥାନରେ ରହିଛି । ଏପଟେ ଗତ ସପ୍ତାହେ ହେଲା କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୦ ଉପରେ ରହୁଛି। ଆଜି ସକାଳେ ଭୁବନେଶ୍ୱରର ଏକ୍ୟୁଆଇ ୩୦୩ ଥିବା ବେଳେ ଅପରାହ୍ଣରେ ରହିଥିଲା ୨୯୪ । କଟକରେ ବି ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି। ଶୁକ୍ରବାର ବି ପ୍ରଦୂଷିତ ସହର ତାଲିକା ଶୀର୍ଷରେ ରହିଥିଲା ତାଳଚେର। ତାଳଚେରରେ ଶୁକ୍ରବାର ରାତି ୮ଟା ସୁଦ୍ଧା ଏକ୍ୟୁଆଇ ୩୭୬ ରହିଥିଲା । ଆଜି ତାହା ହ୍ରାସ ପାଇ ୩୩୨ରେ ରହିଛି। ସେହିପରି ଅନୁଗୁଳର ଏକ୍ୟୁଆଇ ଆଜି ୩୨୧ ରହିଛି। ଗତକାଲି ଅନୁଗୁଳର ଏକ୍ୟୁଆଇ ୩୪୦ ରହିଥିଲା ।