ନୂଆଦିଲ୍ଲୀ,୦୧/୦୧:୨୦୨୬ ନୂତନ ବର୍ଷର ଆରମ୍ଭ ହୋଇଯାଇଛି ଏବଂ ପ୍ରଥମ ଦିନରେ ହିଁ ମହଙ୍ଗା ମାଡ଼। କାରଣ ଅଏଲ୍ ମାର୍କେଟିଂ କମ୍ପାନିଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି କରିଛନ୍ତି । ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତାରୁ ଚେନ୍ନାଇ ପରି ବଡ଼ ବଡ଼ ସହର ସହିତ ସାରା ଦେଶରେ ଏହା ୧ ଜାନୁଆରି ୨୦୨୬ରୁ ମହଙ୍ଗା ହୋଇଛି । ସୂଚନାଯୋଗ୍ୟ ଯେ, ଅଏଲ୍ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଉପରେ ଏହି ଦର ବୃଦ୍ଧି କରିଛନ୍ତି ଏବଂ ପ୍ରତି ସିଲିଣ୍ଡର ପିଛା ୧୧୧ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି । ତେବେ ୧୪ କିଲୋ ବିଶିଷ୍ଟ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଲପିଜି ସିଲିଣ୍ଡରର ନୂଆ ଦର ୧ ଜାନୁଆରୀ ୨୦୨୬ରୁ ଲାଗୁ କରାଯାଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୫୮୦.୫୦ ଟଙ୍କାରେ ମିଳୁଥିବା ୧୯ କିଲୋର କମର୍ସିଆଲ୍ ସିଲିଣ୍ଡର ଏବେ ୧୬୯୧.୫୦ ଟଙ୍କାରେ ମିଳିବ । ସେହିଭଳି କୋଲକାତାରେ ଏହାର ମୂଲ୍ୟ ୧୬୮୪ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୭୯୫ ଟଙ୍କା ହୋଇଛି । ଏହା ବ୍ୟତୀତ ମୁମ୍ବାଇରେ ୧୫୩୧.୫୦ ଟଙ୍କାରେ ମିଳୁଥିବା LPG ସିଲିଣ୍ଡର ଏବେ ୧୬୪୨.୫୦ ଟଙ୍କା ହୋଇଯାଇଛି ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୭୩୯.୫୦ ଟଙ୍କା ବଦଳରେ ବୃଦ୍ଧି ପାଇ ୧୮୪୯.୫୦ ଟଙ୍କା କରାଯାଇଛି ।