ଭୁବନେଶ୍ୱର,୨୯/୧୨: ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ୧୬ଜଣଙ୍କ ନାଆଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି CBI ଏଥିରେ କିଙ୍ଗପିନ୍ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଥିବା ଜଣାଯାଇଛି। ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସିବିଆଇ ପକ୍ଷରୁ ୭ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏହା ପୂର୍ବରୁ ଆହୁରି କେତେକ ପରୀକ୍ଷାରେ ବି ଏମାନଙ୍କ ସଂପୃକ୍ତି ଥିଲା ବୋଲି ସିବିଆଇ ସ୍ପଷ୍ଟ କରିଛି । ସେନେଇ ତଦନ୍ତ ଚାଲିଛି।ନଭେମ୍ବର ୨୦ ତାରିଖରେ ସିବିଆଇ ଏସମ୍ପର୍କରେ ଏକ ମାମଲା ରୁଜୁ କରି ପ୍ରାରମ୍ଭିକ ଭାବରେ ମାମଲାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚରୁ ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ମାଗିଥିଲା। ବ୍ରହ୍ମପୁରରେ ପହଞ୍ଚି ସିବିଆଇ ଟିମ୍ ପ୍ରଥମ ପଦକ୍ଷେପ ସ୍ବରୂପ ବ୍ରହ୍ମପୁର କୋର୍ଟରୁ ଭୁବନେଶ୍ବର ସିବିଆଇ କୋର୍ଟକୁ ମାମଲା ସ୍ଥାନାନ୍ତର ଲାଗି ଆବେଦନ କରିବା ସହ ୪ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନକୁ କଡ଼ା ବିରୋଧ କରିଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୪ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ ।