ନୂଆଦିଲ୍ଲୀ,୨୮/୧୨: ୟୁକ୍ରେନର ରାଜଧାନୀ କିବ୍ ଅନେକ ଶକ୍ତିଶାଳୀ ବିସ୍ଫୋରଣରେ ଦୋହଲି ଯାଇଛି। ରୁଷ୍ ଦ୍ବାରା ପ୍ରଚଣ୍ଡ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କୁ ଆଶ୍ରୟସ୍ଥଳରେ ରହିବାକୁ କହିଛନ୍ତି। ୟୁକ୍ରେନ ବାୟୁସେନା ସୋସିଆଲ ମିଡିଆରେ କହିଛି ଯେ ରାଜଧାନୀ ସମେତ ଦେଶର ଅନେକ ଅଞ୍ଚଳରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ରୁଷ୍ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ଚୂଡ଼ାନ୍ତ କରିବା ନିମନ୍ତେ ଆମେରିକାରେ ତାଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ବୈଠକ ହେବ। ଟେଲିଗ୍ରାମରେ ଏକ ପୋଷ୍ଟରେ କିବ୍ ମେୟର ବିଟାଲି କ୍ଲିଟସ୍କୋ ନାଗରିକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାଜଧାନୀରେ ବାରମ୍ବାର ବିସ୍ଫୋରଣ ହେଉଛି, ଆପଣମାନେ ନିରାପଦ ଆଶ୍ରୟସ୍ଥଳରେ ରୁହନ୍ତୁ।