ଭୁବନେଶ୍ୱର, ୨୧/୧୨: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା। ମାସେରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳିଛି। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି । ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି । ଜି. ଉଦୟଗିରି ସହରର ତାପମାତ୍ରା ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଛି । ଗତ ମାସେ ହେବ ଶୀତ କମିବାର ନାଁ ନେଉନି । ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି ।
ରାଜ୍ୟରେ ଘନ କୁହୁଡ଼ିର ଆଶଙ୍କା ରହିଛି । ବିଶେଷକରି ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଜିଲ୍ଲାରେ ଘନ କୁହୁଡିର ସମ୍ଭାବନା ରହିଛି । ସେଥିପାଇଁ ଏସବୁ ଜିଲ୍ଲାର ଆରଟିଓ ମାନଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ମାର୍ଗଦର୍ଶିକା ଜାରି କରାଯାଇଛି ।