ବାଂଲାଦେଶରେ ଉତ୍ତେଜନା ବୃଦ୍ଧି, ଦଙ୍ଗାକାରୀମାନଙ୍କ ପୁଣି ଜଳାପୋଡ଼ା

ନୂଆଦିଲ୍ଲୀ,୧୯/୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ଗୁରୁବାର ମଧ୍ୟରାତ୍ରିରେ ବାଂଲାଦେଶର ଗଣମାଧ୍ୟମକାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରାଯାଇଥିଲା। ଦଙ୍ଗାକାରୀମାନେ ବାଂଲାଦେଶର ଇଂରାଜୀ ଦୈନିକ ଖବରକାଗଜ ‘ଦି ଡେଲି ଷ୍ଟାର’ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ପ୍ରାୟ ୨୮ଜଣ ସାମ୍ବାଦିକ କାର୍ଯ୍ୟାଳୟ ଭିତରେ ଥିଲେ। ସୂଚନା ମୁତାବକ, ସାମ୍ବାଦିକ କାର୍ଯ୍ୟାଳୟର ୯ମ ମହଲାରେ ଥିବା ବେଳେ ଦଙ୍ଗାକାରୀମାନେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲଗାଇ ଦେଇଥିଲେ। ପ୍ରାୟ ୩ଘଣ୍ଟା କାଳ ୯ମ ମହଲାରେ ଫସିରହିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜଣାପଡ଼ିଛି। ‘ଦି ଡେଲି ଷ୍ଟାର’ର କାର୍ଯ୍ୟାଳୟ ଏବେ ସମ୍ପୂର୍ଣ୍ଣ ଜଳିଯାଇଛି। ଦଙ୍ଗାକାରୀମାନେ ଅନ୍ୟ ଏକ ବାଂଲାଦେଶୀ ଖବରକାଗଜ ‘ପ୍ରଥମ ଆଲୋ’ର କାର୍ଯ୍ୟାଳୟକୁ ମଧ୍ୟ ପୋଡ଼ି ଦେଇଥିବା ସାମ୍ନାକୁ ଆସିଛି।