ଓଡିଶା ଫାର୍ମା ସମ୍ମିଳନୀ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୧୨: ରାଜ୍ୟର ପ୍ରଥମ ‘ଓଡିଶା ଫାର୍ମା ସମ୍ମିଳନୀ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଓଡ଼ିଶାକୁ ଦେଶର ଔଷଧ ଶିଳ୍ପ ବା ଫାର୍ମା ହବ୍ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ଅନୁକୂଳ ପରିବେଶ ଉପରେ ଗୁରୁତ୍ୱାରୋପ କରି ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି । ସରକାରଙ୍କ ନୂତନ ଫାର୍ମା ପଲିସି ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କେବଳ ନିବେଶ ନୁହେଁ, ଏହି ଶିଳ୍ପ ବିକାଶ ମାଧ୍ୟମରେ ୧ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ସମ୍ମିଳନୀ ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ସମ୍ମିଳନୀରେ ବିଭିନ୍ନ କମ୍ପାନୀ ସହିତ ମୋଟ ୪୨ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ମୁତାବକ, ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ତୁରନ୍ତ ୬,୨୫୩ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହେବ । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପ୍ରାଥମିକ ପର୍ଯ୍ୟାୟରେ ୩୮,୪୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।