ମାଲକାନଗିରିରେ ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୩୬ ଘଣ୍ଟା ପାଇଁ ବୃଦ୍ଧି

ଭୁବନେଶ୍ୱର,୧୪/୧୨: ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୩୬ ଘଣ୍ଟା ପାଇଁ ବୃଦ୍ଧି କରିଛନ୍ତି । ଯାହା ଦ୍ୱାରା ଡିସେମ୍ବର ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି କଟକଣା ଦ୍ବାରା ହ୍ୱାଟସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ପ୍ଲାଟଫର୍ମ ଗୁଡିକ ଅଚଳ ରହିବ। ଜିଲ୍ଲାର ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ଏହି କଟକଣାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖାଯାଇଛି । ପୁଣିଥରେ, ଡିସେମ୍ବର ୧୦ ତାରିଖରେ ଏହାକୁ ଆଉ ୨୪ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିଲା । ଗୁରୁବାର ଶେଷ ହେବାକୁ ଥିବା ଏହି କଟକଣାକୁ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଥିଲା । ଇଣ୍ଟରନେଟ୍ ସେବା ବନ୍ଦ ସମୟସୀମା ବୃଦ୍ଧି। ଡିସେମ୍ବର ୮ ତାରିଖରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ଅବରୋଧ କରାଯାଇଥିଲା, ପରେ ଡିସେମ୍ବର ୯ ତାରିଖରେ ୧୮ ଘଣ୍ଟା ବୃଦ୍ଧି କରାଯାଇଥିଲା। ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଦୁଇଟି ଗାଁ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିବା ପରେ ଏହି କଟକଣା ଲାଗୁ କରାଯାଇଥିଲା। ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରଣକୁ ରୋକିବା ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହାକୁ ବୃଦ୍ଧି କରାଯାଇଛି ।