ରାଜ୍ୟରେ କଲବଲ କରୁଛି ପ୍ରବଳ ଥଣ୍ଡା, ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର

ଭୁବନେଶ୍ୱର,୧୩/୧୨: ରାଜ୍ୟରେ କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି କରୁଛି । ସେହିପରି ଶୀତରେ ଥରୁଛି ଲକ୍ଷ୍ମୀପୁର, ଅସହ୍ୟ ହୋଇଯାଇଛି ଥଣ୍ଡା । ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହଉଥିବା ବେଳେ ରାତି ତମାମ ଖଳାରେ ଶୀତ କାକରରେ ଜଗିକି ରହୁଛନ୍ତି । ପ୍ରବଳ ଜାଡ ଯୋଗୁଁ ନିଆଁ ପୋଇଁ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି. । ଏତେ ଥଣ୍ଡା ସତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃହ ଭ୍ରମଣରେ ମଧ୍ୟ ଯାଉଛନ୍ତି । ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାର ପାତ ।