ନୂଆଦିଲ୍ଲୀ,୧୧/୧୨: ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମା ନିକଟରେ ଆସାମର ତିନସୁକିଆ ଜିଲ୍ଲାରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସିପଡିଛି। ଯାହା ଫଳରେ ଅତିକମରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ କଠିନ ଭୌଗୋଳିକ ସ୍ଥିତି ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅରୁଣାଚଳର ହାୟୁଲିଆଙ୍ଗ-ଚାଗଲାଗାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ୨୧ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡିଥିଲା ।ସୂଚନା ଅନୁସାରେ ପାହାଡିଆ ରାସ୍ତାରେ ଯାଉଥିବା ବେଳେ ଗାଡିଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ଏକ ଗଭୀର ଖାଇରେ ପଡିଯାଇଥିଲା । ସେଥିରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ହାୟୁଲିଆଙ୍ଗ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।