ନୂଆଦିଲ୍ଲୀ,୨୫/୧୧: ଇଥିଓପିଆର ଆଫାର୍ ଅଞ୍ଚଳରେ ଥିବା ହାଇଲି ଗୁବ୍ବି ଆଗ୍ନେୟଗିରିରୁ ଉଦ୍ଗିରଣ ହୋଇଛି । ଫଳରେ ଆକାଶରେ ୧୪ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ବ୍ୟାପି ଯାଇଛି ଘନଧୂଆଁ ଓ ବିଷାକ୍ତ ପାଉଁଶ । ଆଖପାଖ ଅଞ୍ଚଳ ପାଉଁଣରେ ଘୋଡ଼ାଇ ହୋଇପଡ଼ିଛି । ଶହେରୁ ଶହେ କୋଡିଏ ବେଗ ମଧ୍ୟରେ ପବନ ବହୁଥିବାରୁ ଭାରତ ସମେତ ବହୁ ଦେଶ ପ୍ରଭାବିତ ହୋଇଛନ୍ତି । ଏପରିକି ଘନଧୂଆଁ ଓ ବିଷାକ୍ତ ପାଉଁଶ ବିଭିନ୍ନ ଦେଶ ଅତିକ୍ରମ କରି ରାଜସ୍ଥାନ, ହରିୟାଣା, ପଞ୍ଜାବ ଦେଇ ଦିଲ୍ଲୀରେ ପ୍ରବେଶ କରିଛି । ପୂର୍ବରୁ ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ଶ୍ବାସକ୍ରିୟାରେ ସମସ୍ୟା ହେଉଥିବା ବେଳେ ରବିବାରଠାରୁ ଆହୁରି ବିଗିଡ଼ି ଯାଇଛି ସ୍ଥିତି । ଏହି ଧୂଆଁ ଓ ପାଉଁଶ ଚୀନ ଆଡ଼କୁ ବ୍ୟାପୁଛି । ଏହି କାରଣରୁ ଭାରତ ଓ ବିଭିନ୍ନ ପଶ୍ଚିମ ଏସୀୟ ଦେଶରେ ବିମାନ ଚଳାଚଳରେ ସତର୍କତା ନେଇ ପରାମର୍ଶାବଳୀ ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଏହାପରେ ୧୨ଟି ବିମାନ ଚଳାଚଳ ବାତିଲ କରିଛି ଏୟାର ଇଣ୍ଡିଆ । ଇଥିଓପିଆର ଆଗ୍ନେୟଗିରି ଉଦଗିରଣରେ ପାଉଁଶ ଓ ଧୂଆଁ ଯୋଗୁ ଅନ୍ୟ ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଆହୁରି ବିଭିନ୍ନ କମ୍ପାନିର ବିମାନ ମଧ୍ୟ ବାତିଲ ହୋଇଛି ।