ନୂଆଦିଲ୍ଲୀ,୨୪/୧୧:ଆଜି ଭାରତର ନୂଆ ସିଜେଆଇ ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସିଜେଆଇ ବିଆର ଗଭାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଏହି ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଜଗଦୀପ ଧନଖଡ ପ୍ରମୁଖ ସାମିଲ ହୋଇଥିଲେ। ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୧୯୮୪ରେ ମହର୍ଷି ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନଜୀବୀ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ହୋଇଥିଲେ ହରିୟାଣର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍।