ଶ୍ରମଜୀବିଙ୍କୁ କେନ୍ଦ୍ର ସରକାରଙ୍କ ଭେଟି, ଓଭରଟାଇମରେ ମିଳିବ ଦୁଇଗଣା ମଜୁରି

ନୂଆଦିଲ୍ଲୀ, ୨୨/୧୧: ଦେଶର କୋଟି କୋଟି କର୍ମଚାରୀ ଓ ଶ୍ରମଜୀବିଙ୍କୁ କେନ୍ଦ୍ର ସରକାରଙ୍କ ଭେଟି । ଶ୍ରମ ଆଇନରେ ବଡ ପରିବର୍ତ୍ତନର ଘୋଷଣା କରିଛନ୍ତି ଶ୍ରମମନ୍ତ୍ରୀ । ଏହି ଆଇନରେ ୨୯ଟି ପୁରୁଣାକାଳିଆ ଶ୍ରମ ନିୟମ ସ୍ଥାନରେ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବ। ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଭରଟାଇମରେ ଦୁଇଗଣା ମଜୁରି ମିଳିବ। ବର୍ଷେ ଚାକିରି ପରେ କର୍ମଚାରୀଙ୍କୁ ଗ୍ରାଚୁଇଟି ସୁବିଧା ମିଳିବ। ପୂର୍ବରୁ ଗ୍ରାଚୁଇଟି ପାଇଁ କର୍ମଚାରୀଙ୍କୁ ୫ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା। ବର୍ଷକୁ ଥରେ କର୍ମଚାରୀଙ୍କୁ ମାଗଣା ସ୍ବାସ୍ଥ୍ୟ ଯାଞ୍ଚ ସୁବିଧା ଦିଆଯିବ। ନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସୁବିଧା ଯୋଗାଇ ଦିଆଯିବ। ସ୍ଥାୟୀ କର୍ମଚାରୀଙ୍କ ଭଳି ଛୁଟି, ମେଡିକାଲ ସୁବିଧା ଓ ସାମାଜିକ ସୁରକ୍ଷା ସୁବିଧା ମିଳିବ। ସମାନ କାମ ପାଇଁ ସମାନ ପାଉଣା ମିଳିବ।  ସବୁ କ୍ଷେତ୍ରରେ ମହିଳାଙ୍କୁ ରାତିରେ କାମ କରିବାକୁ ଅନୁମତି ମିଳିବ। ଏହାସହ ଯୁବବର୍ଗଙ୍କ ପାଇଁ ସର୍ବନିମ୍ନ ବେତନର ଗ୍ୟାରେଣ୍ଟି ରହିବ। ଦୈନିକ କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟା ମଧ୍ୟରେ ରହିବ, ସପ୍ତାହକୁ ସର୍ବାଧିକ ୪୮ ଘଣ୍ଟା ।