ଶ୍ରୀମନ୍ଦିରରେ ମଙ୍ଗଳବାରଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ

ଭୁବନେଶ୍ୱର, ୨୦/୧୧: ଶ୍ରୀମନ୍ଦିରରେ ମଙ୍ଗଳବାରଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ଶ୍ରାଦ୍ଧ ନୀତି ଅନୁଷ୍ଠିତ ହେଉଛି ।  ଦ୍ୱିତୀୟ ଦିନର ଦେବଦୀପାବଳି ଅବସରରେ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସନ୍ଧ୍ୟାରେ ଏକ ଲକ୍ଷ ଦୀପ ପ୍ରଜଳ୍ୱନ କରାଯିବ । ସମ୍ପୂର୍ଣ ବଡଦାଣ୍ଡ ଦୀପ ମୟ ହୋଇପଡିବ । ଦେବ ଦୀପାବଳି ନୀତିକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଯାଇଥାଏ । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ, ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ଶୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି ।