ଭୁବନେଶ୍ୱର,୧୯/୧୧: ଭୁବନେଶ୍ୱରର ଏଜି ଛକରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଏହି ଘଣ୍ଟା । ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି । ପରିବହନ କମିଶନରଙ୍କ ସହ ପରାମର୍ଶ କରି ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଧେଶକ ଚିଠି ଲେଖିଛନ୍ତି । ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଥିବା ବେଳେ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଏଭଳି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଲୋକେ ସଚେତନ ହେବେ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିବ ବୋଲି ଆଶା ରହିଛି । ଏହାଛଡ଼ା ଲୋକେ ବି ସଚେତନ ହେବାର ଆବଶ୍ୟକତା ରହିଛି । କେବଳ ଭୁବନେଶ୍ୱରେ ଏହି ସଡ଼କ ଦୁର୍ଘଟଣା ଘଣ୍ଟା ଲାଗିଗଲେ ଲୋକେ ସଚେତନ ହୋଇଯିବେ ତା ନୁହେଁ । ଲୋକେ ଅନ୍ୟଙ୍କୁ ବି ସଚେତନ କରାଇବାର ଆବଶ୍ୟକତା ରହିଛି ।