ଭୁବନେଶ୍ୱର,୧୭/୧୧: ଓଡ଼ିଆ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ତାରିଖ ଘୋଷଣା କରିଛି ଓସିଏ । ପ୍ରଥମେ ଅନଲାଇନରେ ଟିକେଟ୍ ବିକ୍ରି କରାଯିବା ପରେ ଅଫଲାଇନରେ ଟିକେଟ୍ ପାଇବେ କ୍ରିକେଟପ୍ରେମୀ । ଓସିଏ ସମ୍ପାଦକଙ୍କ ସୂଚନା ମୁତାବକ, ଡିସେମ୍ବର ୧ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଅନୁବନ୍ଧିତ ଅନୁଷ୍ଠାନ ଗୁଡ଼ିକୁ ଟିକେଟ ପ୍ରଦାନ କରାଯିବ । ସେହିପରି ୫ ତାରିଖରେ ଅଫଲାଇନରେ ୬ଟି କାଉଣ୍ଟର ଯୋଗେ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି । କିନ୍ତୁ ଚଳିତ ଥର ଟିକେଟ ସଂଖ୍ୟା କମ୍ କରାଯିବ । କାରଣ ବାରବାଟୀର ପାଖାପାଖି ୬ଟି ଗ୍ୟାଲେରୀ ମରାମତି କାମ ଚାଲିଛି । ତେଣୁ ଟିକେଟ ସଂଖ୍ୟା କମ ରହିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ସୂଚନା ମୁତାବକ ୨୦୨୫ରେ ଦ୍ଵିତୀୟ ଥର ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍ । ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ଏନେଇ ଜିଲ୍ଲା ପ୍ରଶାସନ ବି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ।