ଭୁବନେଶ୍ୱର,୧୧/୧୧: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଓଡିଶା । ଭୁବନେଶ୍ବର, କଟକ, ପୁରୀ, କୋଣାର୍କ, ନୂଆପଡା, ବ୍ରହ୍ମପୁର, ସମ୍ବଲପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ପୁଲିସ ହାଇଆର୍ଲଟରେ ରହିଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ ବଡ଼ ହୋଟେଲ, ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ହାଇଆର୍ଲଟ ଜାରି ହୋଇଛି । ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଯାଞ୍ଚ କରି ଛଡାଯାଉଛି । ଏନେଇ ସୂଚନା ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ । ବାଲିଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିବାରୁ ସେଠାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଡିଜିପି । ପୁରୀରେ ବି ହାଇଆଲର୍ଟ ଜାରି ହୋଇଛି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍ଷ୍ଟାଣ୍ଡରେ ସୁରକ୍ଷାକୁ ବଢାଯାଇଛି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବୋମା ବିସ୍ପୋରଣ ପରେ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଲୱେ ଷ୍ଟେସନ ନିକଟରେ ସୁରକ୍ଷା କଡାକଡି । ରେଲ ସୁରକ୍ଷା କର୍ମୀଙ୍କ ଦ୍ବାରା ଜୋରଦାର ଚେକିଂ କରିବା ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସୁରକ୍ଷାକୁ ନଜରରେ ରଖି ଯାତ୍ରୀମାନଙ୍କ ଆସବାପତ୍ର ଯାଞ୍ଚ କରାଯାଇ ଭିତରକୁ ଛଡାଯାଉଛି । ସୂଚନାଯୋଗ୍ୟ ଯେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି । ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି । ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ ।