ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର,ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍

ଭୁବନେଶ୍ୱର,୦୯/୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ । ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ । ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ । ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ , ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ । ମତଦାନ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ । ଅନ୍ୟପଟେ ଗତକାଲି ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବିମାନରେ ଆସି ଗୋତମା ଏୟାର୍‌ଷ୍ଟ୍ରିପ୍‌ରେ ପହଞ୍ଚିବା ପରେ ହେଲିକପ୍ଟରରେ ସୁନାବେଡ଼ା ଅଞ୍ଚଳକୁ ଯାଇଥିଲେ । ସେଠାରେ ଥିବା ମା’ ସୁନାଦେଈଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ।